ନକଲି ନିଯୁକ୍ତି ଲୋଭ ଦେଖାଇ ଠକି ନେଲେ ୨ କୋଟି। କଟକ ବିଡ଼ାନାସୀ ପୋଲିସ ଜଣେ ଠକକୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବିଡ଼ାନାସୀ ସୁଭଦ୍ରା ନଗର ଅଞ୍ଚଳର ଡାନିଏଲ୍ ରାଜ୍।
ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍ ଅଧିକାରୀ ପରିଚୟରେ ଜଣେ ମହିଳା ନିଜ ଗ୍ୟାଙ୍ଗ ମାଧ୍ୟମରେ ରାଜ୍ୟରୁ ୨ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି। ଏହି ମାମଲାରେ ନକଲି ମହିଳା ଆଇଏଏସ୍ ଅଧିକାରୀ ଓ ତା’ର ଅନ୍ୟ ସହଯୋଗୀ ଫେରାର ହୋଇଯାଇଛନ୍ତି।

ଆଇଏଏସ୍ ଅଫିସର ପରିଚୟ ଦେଉଥିବା ପ୍ରିୟଙ୍କା ପ୍ରିୟଦର୍ଶନୀ ତ୍ରିପାଠୀ ଭୁବନେଶ୍ବର ସାମନ୍ତରାପୁରର ମହାବୀର ବଜାର ନିକଟରେ ରୁହନ୍ତି। ତାଙ୍କ ଘର ସାମାନାରେ ଦୁଇ ଜଣ ନକଲି ପୁଲିସ ଖାକି ପୋଷାକରେ ଜଗି ରୁହନ୍ତି। ପ୍ରିୟଙ୍କାଙ୍କ ବାପା ସୂର୍ଯ୍ୟ ନାରାୟଣ ତ୍ରିପାଠୀ ମଧ୍ୟ ଜଣେ ଆଇଏଏସ୍ ଅଫିସର ବୋଲି ପରିଚୟ ଦେଉଥିଲେ। ସେ ସର୍ଭେ ଅଫ୍ ଇଣ୍ଡିଆର ଉପ ନିର୍ଦ୍ଦେଶକ ଥିବା କହୁଥିଲେ। କଟକ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣୀନଗର ଅଞ୍ଚଳର ବିନୟ ରାଉତରାୟ ନିଜକୁ ପ୍ରିୟଙ୍କାଙ୍କ ପିଏ ବୋଲି ପରିଚୟ ଦେଉଥିଲେ।
ଏହି ଠକ ଗ୍ୟାଙ୍ଗରେ କୋଲକାତାର ଅରିନ୍ଦମ ଚକ୍ରବର୍ତ୍ତୀ, ରଜତ ବର୍ମା, ସଂଜୟ ସିଂ ଓ କଟକ ବିଡ଼ାନାସୀର ସମର୍ପିତା ଚୌଧୁରୀ ଓ ତା’ର ପୁଅ ଡାନିଏଲ୍ ରାଜ ସାମିଲ ହୋଇଥିଲେ। ଚାକିରି ଦେବାକୁ ଲୋଭନୀୟ ପ୍ରତିଶ୍ରୁତି ଦେଉଥିଲେ। ଟିଟି ଚାକିରି ପାଇଁ ୪ ଲକ୍ଷ ୫୦ ହଜାର, ଷ୍ଟେସନ ମାଷ୍ଟର ପାଇଁ ୮ ଲକ୍ଷ, ଏଏସ୍ଓ ପାଇଁ ୧୨ ଲକ୍ଷ, ଷ୍ଟାଫ ସିଲେକ୍ସନ ମାଧ୍ୟମରେ ଚାକିରି ପାଇଁ ୯ ଲକ୍ଷ, କଟକ ବଡ଼ଡାକ୍ତରଖାନାରେ ସିଧାସଳଖ ଡାକ୍ତରୀ ନାମଲେଖା ପାଇଁ ୬୦ ଲକ୍ଷ ଟଙ୍କା ଦାବି କରୁଥିଲେ। ଏମିତି କି ଗତ ନିର୍ବାଚନରେ ବିଧାୟକ ଟିକେଟ୍ ଦେବା ପାଇଁ ସେମାନେ ୧୦ କୋଟି ଟଙ୍କା ଦାବି କରିଥିବା ତଥ୍ୟ ସାମନାକୁ ଆସିଛି। ଏହି ଠକ ଗ୍ୟାଙ୍ଗ ଜାଲରେ ବାଲେଶ୍ବର ଜିଲ୍ଲାରୁ ପ୍ରାୟ ୪୨ ଜଣ ଫସିଛନ୍ତି।