ସ୍ବିଜରଲ୍ୟାଣ୍ଡର ସରୋକ ସୁସାଇଡ୍ କ୍ୟାପସୁଲ୍ରେ ପ୍ରଥମ ସୁଇସାଇଡ୍ କେସ୍ । ଜଣେ ମହିଳା ପ୍ରଥମ ଥର ପାଇଁ ଏଥିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆମେରିକାର ଜଣେ ୬୪ ବର୍ଷୀୟା ମହିଳା ସରୋକରେ ସବୁ ଦିନ ପାଇଁ ଶାନ୍ତି ଶୋଇଯାଇଛନ୍ତି ।ଜର୍ମାନ ସୀମା ନିକଟ ଏକ ଜଙ୍ଗଲରେ ସ୍ଥାନୀୟ ସମୟ ଅପରାହ୍ନ ୪ଟା ସମୟରେ ସେ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ସଭିଙ୍କୁ ଆଚମ୍ବିତ କରିଛି। ସ୍ୱିସ୍ ଅଧିକାରୀମାନେ ଅନେକ ଲୋକଙ୍କୁ ଗିରଫ କରିଛନ୍ତି।ବନ୍ଧା ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ‘ଦ ଲାଷ୍ଟ ରିସୋର୍ଟ’ର ଉପାଧ୍ୟକ୍ଷ ସାମିଲ ଅଛନ୍ତି । ମହିଳାଙ୍କ ଆତ୍ମହତ୍ୟା ସମୟରେ ସେ ସେଠାରେ ଉପସ୍ଥିତ ଥିଲେ । ନେଦରଲ୍ୟାଣ୍ଡସ୍ର ଜଣେ ସାମ୍ବାଦିକଙ୍କ ସମେତ ଦୁଇ ଜଣ ସ୍ବିସ୍ ନାଗରିକଙ୍କୁ ପୋଲିସ ଗିରଫ କରିଛି । ଆମେରିକୀୟ ମହିଳା ଆତ୍ମହତ୍ୟା କରୁଥିବା ବେଳେ କ୍ୟାପସୁଲ୍ କିପରି କାର୍ଯ୍ୟ କରୁଛି ତା’ର ଫଟୋ ଏବଂ ଭିଡିଓ ଉତ୍ତୋଳନ କରୁଥିଲେ । ତେବେ ଆସନ୍ତୁ ଜାଣିବା ଆତ୍ମହତ୍ୟା ପାଇଁ ବ୍ୟବହୃତ ଏହି ସର୍କୋ ପଡ୍ କ’ଣ।ଇଂରାଜୀ ଶବ୍ଦ ସର୍କୋଫାଗସ୍ ଆଧାରରେ ସଂକ୍ଷେପରେ ଏହାକୁ ସର୍କୋ କୁହାଯାଏ। ସର୍କୋଫାଗସ୍ ଅର୍ଥ ପଥର କଫିନ୍, ଯାହା ସାଧାରଣତ ଇଜିପ୍ଟ, ଗ୍ରୀସ୍ ଏବଂ ରୋମର ପ୍ରାଚୀନ ଲୋକମାନେ ଶବକୁ ସମାଧି ସ୍ଥଳରେ ରଖିବା ପାଇଁ ବ୍ୟବହାର କରୁଥିଲେ। ସର୍କୋ ପଡ୍କୁ ପେଗାସସ ଓ ସୁଇସାଇଡ୍ ପଡ୍ ଭାବେ ମଧ୍ୟ ଜଣାଶୁଣା। ଦେଖିବାକୁ ଏହା ଏକ ଆରାମଦାୟକ କ୍ୟାପସୁଲ ପରି। ଏହାକୁ ଥ୍ରୀଡି ପ୍ରିଣ୍ଟର୍ ସାହାଯ୍ୟରେ ତିଆରି କରାଯାଇଛି, ଯାହା ଏକ ପ୍ଲାଟଫର୍ମରେ ରଖାଯାଇଥାଏ। ଏଥିରେ ଡବା ପରି ଏକ ଜାଗାରେ ତରଳ ନାଇଟ୍ରୋଜେନର ଥାଏ, ଯେଉଁଥିରୁ ବାହାରୁଥିବା ଗ୍ୟାସ୍ ମଣିଷକୁ ଧୀରେ ଧୀରେ ମାରିଦିଏ। ୨୦୧୯ରେ ପ୍ରଥମ ଥର ପାଇଁ ଏହି କ୍ୟାପସୁଲ ଦୁନିଆ ସହ ପରିଚିତ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତି ଡାକ୍ତରଙ୍କ ତତ୍ତ୍ୱାବଧାନରେ ନିଜ ଜୀବନକୁ ଶେଷ କରିପାରିବ। ଏବେ ଏହା ପ୍ରଥମ ଥର ପାଇଁ ବ୍ୟବହୃତ ହୋଇଛି। ଏଥିରେ ଅମ୍ଳଜାନ ନଥିବା କାରଣରୁ ଓ ନାଇଟ୍ରୋଜେନ୍ ଗ୍ୟାସ୍ ଯୋଗୁ ହାଇପୋକ୍ସିଆରେ ବ୍ୟକ୍ତିର ମୃତ୍ୟୁ ଘଟେ। କ୍ୟାପୁସୁଲ ଭିତରେ ଥିବା ବ୍ୟକ୍ତି ଏ ସମସ୍ତ ପ୍ରକ୍ରିୟା ନିଜ ହିସାବରେ ପରିଚାଳନା କରନ୍ତି । ଯଦି ଦରକାର ପଡ଼େ ସେ ବାହାରକୁ ମଧ୍ୟ ଆସିପାରିବେ । କ୍ୟାପୁସୁଲ ସକ୍ରିୟ ହୋଇଯିବା ପରେ ଭିତରେ ଥିବା ବ୍ୟକ୍ତି ସଂଜ୍ଞାହୀନ ହୋଇପଡ଼ନ୍ତି ଏବଂ ୧୦ ମିନିଟ୍ ମଧ୍ୟରେ ତାଙ୍କର ମୃତ୍ୟୁ ଘଟେ ।